୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
‘ଜାନକୀ ବଲ୍ଲଭ ପଟ୍ଟନାୟକ: ଦ ମାର୍ଚ ଟୁ ଏ ମଡର୍ନ ଓଡ଼ିଶା’ ଲୋକାର୍ପିତ// ଜାନକୀ ବଲ୍ଲଭଙ୍କ ଶାସନରେ ଓଡ଼ିଶାରେ ରାଜନୈତିକ ସ୍ଥିରତା ଆସିଥିଲା: ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୨/୮: ସ୍ବାଧୀନତା ପରର ପ୍ରଥମ ସରକାର ଠାରୁ ଓଡ଼ିଶାରେ ଏକପ୍ରକାର ରାଜନୈତିକ ଅସ୍ଥିରତା ଲାଗି ରହିଥିଲା୤ ଓଡ଼ିଶାରେ ବଡ଼ ବଡ଼ ନେତା ଥିଲେ୤ ମାତ୍ର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ପୂର୍ବରୁ ରାଜନୈତିକ ସ୍ଥିରତା କେବେ ନ ଥିଲା୤ କୌଣସି ମୁଖ୍ୟମନ୍ତ୍ରୀ ପୂରା ପାଞ୍ଚବର୍ଷର କାର୍ଯ୍ୟକାଳ ପୂରଣ କରିପାରି ନ ଥିଲେ୤ ଜାନକୀବାବୁଙ୍କ ଶାସନକାଳରେ ହିଁ ପ୍ରଥମ ଥର ପାଇଁ ଓଡ଼ିଶାରେ ରାଜନୈତିକ ସ୍ଥିରତା ଆସିଥିଲା ବୋଲି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି୤ ଆଜି ରାଷ୍ଟ୍ରପତି ଭବନର ୟେଲୋ ହଲରେ ଆୟୋଜିତ ‘ଜାନକୀ ବଲ୍ଲଭ ପଟ୍ଟନାୟକ: ଦ ମାର୍ଚ ଟୁ ଏ ମଡର୍ନ ଓଡ଼ିଶା’ ପୁସ୍ତକର ଲୋକାର୍ପଣ ଉତ୍ସବରେ ରାଷ୍ଟ୍ରପତି କହିଥିଲେ ଯେ ଜାନକୀବଲ୍ଲଭଙ୍କ ଶାସନକାଳରେ ସ୍ଥିର ସରକାର ହେତୁ ଓଡ଼ିଶାର ବିବିଧ ବିକାଶ ଘଟିଥିଲା୤ ସେସବୁର ବିବରଣୀ ଏହି ଲୋକାର୍ପିତ ପୁସ୍ତକର ଲେଖାଗୁଡ଼ିକରେ ଲିପିବଦ୍ଧ ହୋଇଛି୤ ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ଜାନକୀବାବୁଙ୍କ ସହିତ ରହିଆସିଥିବା ତାଙ୍କର ଦୀର୍ଘ ସଂପର୍କର ସ୍ମୃତିଚାରଣ କରିଥିଲେ୤ ସେ କହିଥିଲେ, “୧୯୭୩ ମସିହା ଫେବ୍ରୁଆରି ୫ ତାରିଖରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ମୁଁ ଓ ବର୍ତମାନର ଆସାମ ରାଜ୍ୟପାଳ ଶ୍ରୀ ପଟ୍ଟନାୟକ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲୁ୤ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଆମ ଭିତରେ ଘନିଷ୍ଠ ସଂପର୍କ ରହିଆସିଛି୤ ମୁଁ ସରକାର ଭିତରେ ଥାଏ ବା ବାହାରେ ଥାଏ, ସବୁବେଳେ ଆମେ ପରସ୍ପର ସହିତ ସହଯୋଗ କରିଆସିଛୁ୤ ଓଡ଼ିଶାରେ ବହୁ ବଡ଼ ବଡ଼ ନେତା ଥିଲେ, ଏଥିରେ ସନ୍ଦେହ ନାହିଁ, କିନ୍ତୁ ଗୋଟିଏ ସମୟ ଆସିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାନକୀବାବୁଙ୍କୁ ଡାକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାକୁ କହିଥିଲେ୤ ଜାନକୀବାବୁ କେବଳ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଲେନାହିଁ, କ୍ରମାଗତ ଭାବରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଦୂରକରି ଓଡ଼ିଶାକୁ ଏକ ସ୍ଥିର ସରକାର ଦେଲେ୤ ଗୋଟିଏ ରାଜ୍ୟରେ ରାଜନୈତିକ ସ୍ଥିରତା ଆଣିବା କିଛି ସହଜ କାମ ନୁହେଁ୤ କିନ୍ତୁ ପୂରା ପାଞ୍ଚବର୍ଷର କାର୍ଯ୍ୟକାଳ ପୂରଣ କରି ଏବଂ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ଜାନକୀବାବୁ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ୤ ଓଡ଼ିଶାର ସାହିତ୍ୟ, ସଂସ୍କୃତି ମଧ୍ୟ ଜାନକୀବାବୁଙ୍କ ଅବଦାନରେ ବହୁ ପରିମାଣରେ ସମୃଦ୍ଧ ହୋଇଛି୤ ଜାନକୀବାବୁ ଶିଳ୍ପାୟନ ଜରିଆରେ ରାଜ୍ୟରେ ଏକ ନୂଆ ଇତିହାସ ସୃଷ୍ଟି କରିବା ସହିତ ଓଡ଼ିଶାକୁ ଅନ୍ୟ ରାଜ୍ୟର ସମକକ୍ଷ କରିବାକୁ ସମର୍ଥ ହୋଇଥିଲେ୤” ଏହା କହିବା ସହିତ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ଜାନକୀବାବୁଙ୍କ ତିନି ପର୍ଯ୍ୟାୟର ପ୍ରାୟ ୧୪ ବର୍ଷର ମୁଖ୍ୟମନ୍ତ୍ରୀତ୍ବ କାଳର କୃତିତ୍ବକୁ ନେଇ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ବାରା ଏପରି ଏକ ପୁସ୍ତକର ସଂପାଦନା କରାଯାଇଥିବାରୁ ସୌମ୍ୟବାବୁକୁ ଧନ୍ୟବାଦ ଦେଇଥିଲେ୤ ଏହି ଉତ୍ସବରେ ‘ଜାନକୀ ବଲ୍ଲଭ ପଟ୍ଟନାୟକ: ଦ ମାର୍ଚ ଟୁ ଏ ମଡର୍ନ ଓଡ଼ିଶା’ ପୁସ୍ତକକୁ ପୂର୍ବତନ ରାଜ୍ୟପାଳ ତଥା ସାଂସଦ ଡକ୍ଟର କରଣ ସିଂହ ଉନ୍ମୋଚନ କରିବା ସହିତ ପୁସ୍ତକର ପ୍ରଥମ କପିଟିକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ୤ ଶ୍ରୀ ସିଂହ କହିଥିଲେ, ଭାରତ ଏକ ବିସ୍ମୟକର ଦେଶ୤ ଏହା ଏଇଥି ପାଇଁ ଯେ ଏଠାରେ ବିବିଧତା ମଧ୍ୟରେ ଏକତା ରହିଆସିଛି୤ ଅନ୍ୟାନ୍ୟ ଦେଶରେ ଗୋଟିଏ ବା ଦୁଇଟି ଭାଷାରେ ସାହିତ୍ୟ ରଚନା ହେଉଥିବା ବେଳେ ଭାରତରେ ୩୦ରୁ ଅଧିକ ଭାଷାରେ ସାହିତ୍ୟ ସୃଷ୍ଟି ହୁଏ୤ ଭାରତବର୍ଷର ସାଂସ୍କୃତିକ ବିଶେଷତ୍ବ ଓ ବିବିଧତାର ବିକାଶରେ ଭିନ୍ନ ଭିନ୍ନ ରାଜ୍ୟର ଅବଦାନ ରହିଛି୤ ଏଥିରେ ଓଡ଼ିଶାର ଅବଦାନ ଖୁବ୍ ବିଶେଷତ୍ବପୂର୍ଣ୍ଣ୤ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ପୁରୀ, ଭୁବନେଶ୍ବର ଓ କୋଣାର୍କର ମନ୍ଦିର ସ୍ଥାପତ୍ୟ, ଓଡ଼ିଶୀ ନୃତ୍ୟ, କଟକର ତାରକସୀ କାମ, ଆଦିବାସୀ କଳା ତଥା ସମୃଦ୍ଧ ସାରସ୍ବତ ଐତିହ୍ୟ ଭାରତବର୍ଷକୁ ସମୃଦ୍ଧ କରିଛି୤ ସେ କହିଥିଲେ, ୫୦ ବର୍ଷ ତଳେ ସେ ଯେତେବେଳେ ଓଡ଼ିଶା ଯାଇଥିଲେ, ସେତେବେଳେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇ ନ ଥିଲା୤ କିନ୍ତୁ ଆଜି ଭାରତ ନାଟ୍ୟମ୍ ଓ ଓଡ଼ିଶୀ ନୃତ୍ୟ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି୤ ଓଡ଼ିଶାର କଳା, ସଂସ୍କୃତି ବହୁ ପ୍ରାଚୀନ କାଳରୁ ଦକ୍ଷିଣ-ପୂର୍ବ ଏସିଆକୁ ବହୁ ଭାବରେ ପ୍ରଭାବିତ କରିଥିଲା୤ ଖ୍ରୀଷ୍ଟୀୟ ଓ ଖ୍ରୀଷ୍ଟପୂର୍ବ କାଳରୁ ଓଡ଼ିଶାର ଲୋକେ ସିଂହଳ, ବର୍ମା, ଭିଏତନାମ୍, କାମ୍ବୋଡ଼ିଆ ଆଦି ଦେଶକୁ ଯାଇ ସେଠାରେ ଓଡ଼ିଶାର କଳା-ସଂସ୍କୃତିର ଉପନିବେଶ ସ୍ଥାପନ କରିଥିଲେ୤ ଏହି ବିଶ୍ବବିଜୟ ତରବାରିର ଶକ୍ତିରେ ହୋଇନାହିଁ, କଳା ସଂସ୍କୃତିର ପ୍ରଭାବରେ ହୋଇଛି୤ ଏହି ଅବସରରେ ଡକ୍ଟର ସିଂହ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ବିଶ୍ବନାଥ ଦାସ, ହରେକୃଷ୍ଣ ମହତାବ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ନନ୍ଦିନୀ ଶତପଥୀ ପ୍ରମୁଖଙ୍କ ନାମ ଉଚ୍ଚାରଣ କରିବା ସହିତ ଜାନକୀବଲ୍ଲଭଙ୍କ ସାମ୍ବାଦିକତା, ବିଦ୍ବତ୍ତା ଓ ସାହିତ୍ୟକୃତିର ପ୍ରଶଂସା କରିଥିଲେ୤ ଜାନକୀବଲ୍ଲଭଙ୍କ ଦ୍ବାରା ଶ୍ଳୋକରୁ ଶ୍ଳୋକ ଅନୁବାଦ ହୋଇଥିବା ‘ଶ୍ରୀମଦ୍ ଭଗବତ୍ ଗୀତା’ ଏକ ଗୁରୁତ୍ବପୂର୍ଣ୍ଣ କୃତି ବୋଲି ସେ କହିଥିଲେ୤ ଉତ୍ସବରେ ନିଜର ଅଭିଭାଷଣ ଦେଇ ଆସାମ ରାଜ୍ୟପାଳ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତାଙ୍କ ଶାସନ କାଳର ଉଲ୍ଲେଖନୀୟ କାର୍ଯ୍ୟ ଗୁଡ଼ିକୁ ନେଇ ପ୍ରସ୍ତୁତ ଏହି ପୁସ୍ତକର ଉନ୍ମୋଚନ ରାଷ୍ଟପତି ଭବନରେ ହୋଇଥିବାରୁ ସେ ଖୁବ୍ ଆନନ୍ଦିତ୤ ସେ କହିଥିଲେ, ଏହା ଏକ ଜୀବନୀ ପୁସ୍ତକ ବା ଏକ ପ୍ରଶସ୍ତିମୂଳକ ପ୍ରକାଶନ ନୁହେଁ୤ ତାଙ୍କ ଶାସନକାଳରେ ହୋଇଥିବା ବାସ୍ତବ, ବିକାଶମୂଳକ କାର୍ଯ୍ୟର ଏକ ଆକଳନ ଗ୍ରନ୍ଥ୤ ସ୍ବାଧୀନତା ପରେ ଓଡ଼ିଶାରେ ଏକପ୍ରକାର ରାଜନୈତିକ ଅସ୍ଥିରତା ଲାଗି ରହିଥିଲା୤ ୧୯୪୭ରୁ ୧୯୮୦ ମଧ୍ୟରେ ୧୧ଜଣ ମୁଖ୍ୟମନ୍ତ୍ରୀ ଆସିଥିଲେ ଓ ଯାଇଥିଲେ୤ ଏହାଫଳରେ ଓଡ଼ିଶାର ବିକାଶ ଯଥାର୍ଥ ଭାବରେ ହୋଇପାରୁ ନ ଥିଲା୤ ୧୯୮୦ ପରେ ପ୍ରଥମ କରି ରାଜନୈତିକ ସ୍ଥିରତା ଆସିଲା, ଯାହା ଆଜି ପର୍ଯ୍ୟନ୍ତ ବଜାୟ ରହିଛି୤ ସେତେବେଳର କେନ୍ଦ୍ର ସରକାରଙ୍କ ସହଯୋଗ ଫଳରେ ଏହା ସମ୍ଭବ ହୋଇଛି୤ ଏଥିପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହଯୋଗକୁ ସମ୍ମାନର ସହ ସ୍ମରଣ କରିଥିଲେ୤ ଅନ୍ୟତମ ଅତିଥି, ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଜ୍ଞାନ ଚାନ୍ଦ କହିଥିଲେ, ଓଡ଼ିଶାର ଉନ୍ନତି ପାଇଁ ଜାନକୀ ବଲ୍ଲଭ ପଟ୍ଟନାୟକ ସର୍ବଦା ଗୁରୁତ୍ବ ଦେଉଥିଲେ୤ ଓଡ଼ିଶାର ବିକାଶ ପାଇଁ ସେ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିଥିଲେ୤ ସୁଶାସନ ପ୍ରଦାନ ଓ ସ୍ବପ୍ନଗୁଡ଼ିକର ବାସ୍ତବ ରୂପାୟନ ତାଙ୍କର ବିଶେଷତ୍ବ ଥିଲା୤ ଏହି ପୁସ୍ତକର ଲେଖାଗୁଡ଼ିକ ତାହାର ଏହା ଏକ ପ୍ରତିଫଳନ ମାତ୍ର୤ ଉତ୍ସବର ଅନ୍ୟତମ ଅତିଥି ତଥା ଜ୍ଞାନପୀଠ ବିଜେତା ସାହିତ୍ୟିକ ସୀତାକାନ୍ତ ମହାପାତ୍ର କହିଥିଲେ ଯେ ଜାନକୀବଲ୍ଲଭଙ୍କ ବ୍ୟକ୍ତିତ୍ବର ବହୁ ବବିଧତା ରହିଛି୤ ସେ ଏକାଧାରରେ ଜଣେ ଲେଖକ, କବି, ରାଜନୀତିଜ୍ଞ ଓ ରାଷ୍ଟ୍ରନାୟକ୤ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ଶିକ୍ଷା କ୍ଷେତ୍ରରେ ସେ ଦେଖିଥିବା ସ୍ବପ୍ନର ଏକ ରୂପାୟନ୤ ସେହିପରି ଓଡ଼ିଶାରେ ଯେଉଁ ୬୨ଟି ଆଦିବାସୀ ଗୋଷ୍ଠୀ ରହିଛି ତାଙ୍କର ଜୀବନଚର୍ଯା ଓ କଳାକୃତିକୁ ନେଇ ଏକ ସଂଗ୍ରହାଳୟ ତାଙ୍କରି ସମୟରେ ହିଁ ପ୍ରତିଷ୍ଠା ହୋଇଥିଲା୤ ଆଧୁନିକତାର ପ୍ରଭାବରେ ବହୁ ଆଦିବାସୀ ଗୋଷ୍ଠୀ କ୍ରମେ ସେମାନଙ୍କର ସତ୍ତା ହରାଉଛନ୍ତି୤ ଏହି ସଂଗ୍ରହାଳୟ ସେମାନଙ୍କ ବିଷୟରେ ଦେଶ ବିଦେଶର ଲୋକଙ୍କୁ ସୂଚନା ପ୍ରଦାନ କରୁଛି୤ ଏହା ବ୍ୟତୀତ ଜାନକୀବାବୁ ଜଣେ କବି ଓ ଅନୁବାଦକ ମଧ୍ୟ୤ ଶ୍ରୀମଦ୍ ଭାଗବତ ସମେତ ବଙ୍କିବଚନ୍ଦ୍ର ଓ ଭର୍ତ୍ତୃହରିଙ୍କ ରଚନା ସମୂହର ଅନୁବାଦ ତାଙ୍କର ଉଲ୍ଲେଖନୀୟ ସାରସ୍ବତ କୀର୍ତ୍ତି୤ ପୁସ୍ତକର ମୁଖ୍ୟ ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଗଙ୍ଗା, ଯମୁନା ଓ ସରସ୍ବତୀର ମିଳନ ପରି ଜାନକୀବାବୁଙ୍କ ବ୍ୟକ୍ତିତ୍ବରେ ରାଜନୀତି, ସାହିତ୍ୟ ଓ ସମାଜସେବାର ତ୍ରିବେଣୀ ସଂଗମ ଘଟିଛି ବୋଲି କହିଥିଲେ୤ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଡକ୍ଟର କରଣ ସିଂହଙ୍କର ସଂକ୍ଷିପ୍ତ ପରିଚୟ ଦେବା ସହିତ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପୃଷ୍ଠଭୂମି ସଂପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ୤ ଶେଷରେ ପୁସ୍ତକର ଅନ୍ୟତମ ସଂପାଦକ ୱସବିର ହୁସେନ୍ ଧନ୍ୟବାଦ ଦେବା ଅବସରରେ ଜାନକୀବାବୁଙ୍କୁ ଆସାମର ସଂସ୍କାରକ ରାଜ୍ୟପାଳ ଭାବରେ ଆଖ୍ୟାୟିତ କରିଥିଲେ୤ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଆସାମର ମନ୍ତ୍ରୀ ରାଣୀ ନାରା, ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର, ଜୟନ୍ତୀ ପଟ୍ଟନାୟକ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଜାନକୀ ବଲ୍ଲଭଙ୍କ ପରିବାରର ବହୁ ସଦସ୍ୟ ସଦସ୍ୟା ଏବଂ ପୁସ୍ତକର ଲେଖକମାନଙ୍କ ମଧ୍ୟରୁ ଅନାଦି ସାହୁ, ପ୍ରଫେସର ହରେକୃଷ୍ଣ ଶତପଥୀ, ଗୋପାଳ ଚନ୍ଦ୍ର ମିତ୍ର, କୁଙ୍କୁମ ମହାନ୍ତି, ପ୍ରଫେସର ରାଧାମୋହନ, ନୀଳମାଧବ ମହାନ୍ତି, ମହମ୍ମଦ କମରୁଦ୍ଦିନ୍ ଖାଁ, ପ୍ରେମାନନ୍ଦ ଦାସ, ଡକ୍ଟର ଖଗେଶ୍ବର ମହାପାତ୍ର, ଡ. ବିଷ୍ଣୁପ୍ରସାଦ ଦାସ, ସତପାଲ୍ ସିଂହ, ବିନୋଦ ଦାସ, ଜେ.କେ ମହାନ୍ତି, ଅନ୍ନଦା ପ୍ରସାଦ ରାୟ, ବିମଳେନ୍ଦୁ ମହାନ୍ତି, ବସନ୍ତ ଦାସ, ଶ୍ରୀମୟ କର, ସିଦ୍ଧାର୍ଥ ପ୍ରଧାନ, ପ୍ରଭାତ ଚନ୍ଦ୍ର ବାଗଙ୍କ ସମେତ ‘ଆମ ଓଡ଼ିଶା’ର ଉପାଧ୍ୟକ୍ଷ ଦାଶ ବେନହୁର, ପ୍ରକାଶନ ସଂପାଦକ ଅସିତ ମହାନ୍ତି, ସ୍ବାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ, ପ୍ରଫେସର ଗୌରକିଶୋର ଦାସ, ପି.ଆଇ.ବି.ର ପୂର୍ବତନ ମହାନିର୍ଦ୍ଦେଶକ ଉମାକାନ୍ତ ମିଶ୍ର ଏବଂ ଆସାମ ରାଜ୍ୟପାଳଙ୍କ ଓ.ଏସ୍.ଡି. ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |