୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଆମ ସମୟର ସପ୍ତାଶ୍ଚର୍ଯ୍ୟ ଓ ଜାତିପ୍ରାଣ ମଧୁସୂଦନ ଉନ୍ମୋଚିତ Download  
କନକ ଟିଭିରେ ଏ ମାସର ଆମ ବହି କାର୍ଯ୍ୟକ୍ରମ ଆମ ସମୟର ସପ୍ତାଶ୍ଚର୍ଯ୍ୟ ଓ ଜାତିପ୍ରାଣ ମଧୁସୂଦନ ଉନ୍ମୋଚିତ ଭୁବନେଶ୍ବର ୪/୧୧(ଇମିସ)- ଆମ ଓଡ଼ିଶା ପକ୍ଷରୁ କନକ ଟିଭିରେ ପ୍ରତିମାସର ପ୍ରଥମ ରବିବାରରେ ପ୍ରସାରିତ ହେଉଥିବା ଆମ ବହି କାର୍ଯ୍ୟକ୍ରମରେ ଏଥର ଦୁଇଟି ବହି ଉନ୍ମୋଚିତ ହୋଇଛି୤ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆମ ଓଡ଼ିଶା ପ୍ରକାଶିତ ଆମ ସମୟର ସପ୍ତାଶ୍ଚର୍ଯ୍ୟ ଉନ୍ମୋଚିତ ହୋଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ଜ୍ଞାନଯୁଗ ପବ୍ଲିକେଶନ୍ସ ପ୍ରକାଶିତ ଜାତିପ୍ରାଣ ମଧୁସୂଦନ ଉନ୍ମୋଚିତ ହୋଇଥିଲା୤ କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆମ ଓଡ଼ିଶା ପ୍ରକାଶନ ପଛରେ ଥିବା ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ୤ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ, ପ୍ରକାଶନ ସଂପାଦକ ଅସିତ ମହାନ୍ତି ଓ ଲେଖକ ଶିବକୁମାର ଦାସଙ୍କ ଉପସ୍ଥିତିରେ ଆମ ସମୟର ସପ୍ତାଶ୍ଚର୍ଯ୍ୟକୁ ବିଶିଷ୍ଟ ଲେଖିକା ତଥା ଗବେଷିକା ପ୍ରଫେସର ସଂଘମିତ୍ରା ମିଶ୍ର ଉନ୍ମୋଚନ କରି,ଭାରତର ତାଜମହଲ ସମେତ ବିଶ୍ବର ସାତଟି ଅନୁପମ କୀର୍ତ୍ତି ସମ୍ପର୍କରେ, ଆତ୍ମଜୀବନୀ ଶୈଳୀରେ ଲିଖିତ ଏହି ତଥ୍ୟପୂର୍ଣ୍ଣ ପୁସ୍ତକ ପାଠକପାଠିକାଙ୍କୁ ପ୍ରଭୂତ ଆନନ୍ଦ ଦେବ ବୋଲି କହିଥିଲେ୤ଏହି ଅବସରରେ ଲେଖକ ଶ୍ରୀ ଦାସ ପୁସ୍ତକର ବିଷୟ ଉପସ୍ଥାପନାର ନେପଥ୍ୟ କାହାଣୀ ସଂପର୍କରେ ସମ୍ୟକ୍ ସୂଚନା ଦେଇଥିଲେ୤ ଚୀନ୍ର ବିରାଟ ପ୍ରାଚୀର, ରୋମର କଲୋସିୟମ୍,ଜୋର୍ଡ଼ନର ପେଟ୍ରା,ପେରୁର ମାଚୁ ପିକ୍ ଚୁ, ଚିଚେନ୍ ଇତ୍ ଜା, କ୍ରାଇଷ୍ଟ ଦ ରିଡିମର ଓ ତାଜମହଲ ଶୀର୍ଷକ ସାତଟି ଲେଖାକୁ ନେଇ ସଚିତ୍ର ଭାବରେ ଓ ସୁଲଭ ମୂଲ୍ୟରେ ଏହି ପୁସ୍ତକ ପ୍ରକାଶିତ ହୋଇଛି ଏବଂ ପୂର୍ବ ପ୍ରକାଶିତ ସପ୍ତାଶ୍ଚର୍ଯ୍ୟ ପରି ଏ ପୁସ୍ତକଟି ମଧ୍ୟ ପାଠକପାଠିକାଙ୍କ ଦ୍ବାରା ବହୁଳ ଆଦର ଲାଭ କରିବ ବୋଲି ପ୍ରକାଶନ ସଂପାଦକ ଶ୍ରୀ ମହାନ୍ତି କହିଛନ୍ତି୤ ଆମ ବହି କାର୍ଯ୍ୟକ୍ରମର ଦ୍ବିତୀୟ ଭାଗରେ ଉତ୍କଳ ସଂସ୍କୃତି ବିଶ୍ବାବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ବିମଳେନ୍ଦୁ ମହାନ୍ତିଙ୍କ ଲିଖିତ ଜାତିପ୍ରାଣ ମଧୁସୂଦନ ପୁସ୍ତକକୁ ବିଶିଷ୍ଟ ଜ୍ଞାନପୀଠ ବିଜେତା କବି,ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଉନ୍ମୋଚନ କରିଥିଲେ୤ଏଥିରେ କଟକ ବିବିଧଭାରତୀର କେନ୍ଦ୍ରମୁଖ୍ୟ ତଥା ବିଶିଷ୍ଟ ଗବେଷକ ଡ଼କ୍ଟର ଯଶୋବନ୍ତ ନାରାୟଣ ଧର ଅଧ୍ୟକ୍ଷତା କରି ସରଳ ଓ ସୁଖପାଠ୍ୟ ଭାଷାରେ ମଧୁବାବୁଙ୍କ ପରି ଜଣେ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ଉପସ୍ଥାପିତ କରିପାରିଥିବାରୁ ଶ୍ରୀ ମହାନ୍ତିଙ୍କୁ ଉଚ୍ଚପ୍ରଶଂସା କରିଥିଲେ୤ ଲେଖକ ଶ୍ରୀ ମହାନ୍ତି ଏପରି ଏକ ପୁସ୍ତକ ପ୍ରସ୍ତୁତିର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ୤ ଡ଼କ୍ଟର ସୀତାକାନ୍ତ ମହାପାତ୍ର ପୁସ୍ତକକୁ ଉନ୍ମୋଚନ କରି ମଧୁବାବୁଙ୍କ ବ୍ୟକ୍ତିତ୍ବର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିବା ସହିତ ଏପରି ଜଣେ ବିରାଟ ବ୍ୟକ୍ତିତ୍ବଙ୍କୁ ଏକ କ୍ଷୁଦ୍ର ପୁସ୍ତକରେ ସଫଳ ଭାବେ ଚିତ୍ରିତ କରିପାରିଥିବାରୁ ଲେଖକଙ୍କୁ ସାଧୁବାଦ ଜଣାଇଥିଲେ୤ ଏହି କାର୍ଯ୍ୟକ୍ରମ କନକ ଟିଭିରେ ସୋମବାର ଅପରାହ୍ନ ୪.୩୦ ଓ ରାତି ୧୦.୩୦ରେ ପୁନଃପ୍ରସାରିତ ହେବ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |