୨୮ ଅକ୍ଟୋବର ୨୦୧୭ ସୁଦ୍ଧା ମୋଟ ୧୦୫୨ ରକ୍ତଦାନ ଶିବିରରୁ ୫୦୮୭୮ ୟୁନିଟ୍ ରକ୍ତ ସଂଗୃହୀତ। ରକ୍ତଦାନ କ୍ଷେତ୍ରରେ ଆମ ଓଡ଼ିଶା ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ରାଜ୍ୟ ସରକାରଙ୍କ ଠାରୁ ଲଗାତାର ୧୧ ଥର ପୁରସ୍କୃତ। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।
ଆମ ପର୍ବପର୍ବାଣି
ପୂର୍ବ ପୃଷ୍ଠା
Mo Khataରଥଯାତ୍ରା
ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ବିତୀୟା ତିଥିରେ ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା (ଗୁଣ୍ଡିଚା ଯାତ୍ରା) ଉତ୍ସବ ଅନୁଷ୍ଠିତ ହୁଏ ୤ ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ଶ୍ରୀ ଜଗନ୍ନାଥ ତିନୋଟି ରଥରେ ଶ୍ରୀ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରନ୍ତି ୤ ଦେଶ ବିଦେଶରୁ ଆସିଥିବା ଭକ୍ତମାନେ ବଡଦାଣ୍ଡରେ ଏହି ତିନୋଟି ରଥକୁ ଦଉଡ଼ିରେ ଟାଣି ଟାଣି ନିଅନ୍ତି ୤ ତିନିଠାକୁର ଗୁଣ୍ଡିଚା ମନ୍ଦିରରେ ୯ ଦିନ ରହି ବାହୁଡାଯାତ୍ରା ଦିନ ଦଶମୀ ତିଥିରେ ପୁଣି ଶ୍ରୀମନ୍ଦିରକୁ ଫେରିଆସନ୍ତି ୤ ବଳଭଦ୍ରଙ୍କ ରଥର ନାମ ତାଳଧ୍ବଜ ୤ ଏହାର ୧୪ଟି ଚକ ରହିଛି ୤ ଏଥିରେ ଲଗାଯାଇଥିବା ଘୋଡାଙ୍କର ବର୍ଣ୍ଣ କଳା ଓ ରଥଟି ଲାଲ ଓ ନେଳି ରଙ୍ଗର କନାଦ୍ବାରା ଆବୃତ ୤ ସୁଭଦ୍ରାଙ୍କ ରଥର ନାମ ଦେବଦଳନ ୤ ଏହା ଲାଲ ଓ କଳା ରଙ୍ଗର କନାଦ୍ବାରା ସଜ୍ଜିତ ୤ ଏହାର ୧୨ ଗୋଟି ଚକ ଓ ଘୋଡା ମାନଙ୍କର ରଙ୍ଗ ଲାଲ ୤ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ, ଏହା ଲାଲ ଓ ହଳଦିଆ କନାଦ୍ବାରା ଆବୃତ ୤ ଏହାର ୧୬ଟି ଚକ ଓ ଘୋଡାମାନଙ୍କର ରଙ୍ଗ ଧଳା ୤
Mo Khataଶୀତଳ ଷଷ୍ଠୀ
ସମ୍ବଲପୁର ସହରର ଆବହମାନକାଳରୁ ଶୀତଳ ଷଷ୍ଠୀ ପର୍ବ ମହା ସମାରୋହରେ ପାଳିତ ହୋଇ ଆସୁଅଛି ୤ ପ୍ରତିବର୍ଷ ଜ୍ୟେଷ୍ଠ ଶୁଳ୍କ ପଞ୍ଚମୀଦିନ ଶିବ ପାର୍ବତୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୁଏ ୤ଏହାର ପରଦିନ ଅର୍ଥାତ୍ ଷଷ୍ଠୀ ଦିନ ରାତିରେ ନବବିବାହିତ ଦେବଦମ୍ପତି ଶିବ ଓ ପାର୍ବତୀଙ୍କର ନଗର ପରିକ୍ରମା ହୁଏ ୤ ଏକ ସୁସଜ୍ଜିତ ବିରାଟ ମେଢ଼ ଉପରେ ମହାଦେବ ଓ ପାର୍ବତୀ ନାନା ସ୍ବର୍ଣ୍ଣାଳଙ୍କାରରେ ଭୂଷିତା ହୋଇ ଭକ୍ତଜନଙ୍କୁ ଦର୍ଶନ ଦିଅନ୍ତି ୤ ପ୍ରଧାନ ମେଢ଼ ଛଡା ହନୁମାନ, ନୃସିଂହ ଓ ଅନ୍ୟାନ୍ୟ ଦେବାଦେବୀଙ୍କର ମେଢ଼ ମଧ୍ୟ ବାହାରିଥାଏ ୤ ଶୋଭାଯାତ୍ରା ଶୀତଳ ଷଷ୍ଠୀ ରାତ୍ରିରୁ ଆରମ୍ଭ ହୋଇ ସପ୍ତମୀ ମଧ୍ୟାହ୍ନରେ ଶେଷ ହୁଏ ୤ ଏହି ଯାତ୍ରା ସମୟରେ ବିଭିନ୍ନ କରମର ନୃତ୍ୟଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାରା ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠେ ୤
Mo Khataଧନୁଯାତ୍ରା
ପ୍ରତିବର୍ଷ ପୌଷ ମାସ ଶୁଳ୍କ ଚତୁର୍ଥୀ ଠାରୁ ଆରମ୍ଭ କରି ପୂର୍ଣ୍ଣିମା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ବରଗଡ ସହରରେ ପ୍ରସିଦ୍ଧ ଧନୁଯାତ୍ରା ଉତ୍ସବ ପାଳିତ ହୁଏ ୤ ଏହି ଯାତ୍ରାଟି ପୌରାଣିକ କଥାବସ୍ତୁ ‘କଂସବଧ’ ପ୍ରସଙ୍ଗ ଉପରେ ଆଧାରିତ ୤ ଦେବକୀଙ୍କ ପରିଣୟ ଠାରୁ କଂସବଧ ଯାଏ ସମସ୍ତ ଘଟଣା ଏହି ଯାତ୍ରାକାଳରେ ଅଭିନୀତ ହୋଇଥାଏ ୤ ଏହି ଯାତ୍ରାର ବିଶେଷତ୍ବ ହେଲା ଯେ ଯାତ୍ରାକାଳରେ ସମଗ୍ର ବରଗଡ ସହର ଏଥିରେ ସାମିଲ ହୋଇ ମଥୁରା ନଗରୀ ପାଲଟି ଯାଏ ୤ ଜିରାନଦୀର ଆରକୂଳରେ ଥିବା ଅମାପଲ୍ଲୀ ଗ୍ରାମ ପାଲଟିଯାଏ ଗୋପପୁର ଓ ଜିରାନଦୀ ହୁଏ ଜମୁନା ନଈ, ଯେଉଁଠି କାଳୀୟ ଦଳନ ଅଭିନୟ ସଂପାଦିତ ହୁଏ ୤ ପ୍ରତିଦିନ କଂସରାଜା ସିଂହାସନରେ ବସି ଦୂତକୁ ମନୋରଞନ କାର୍ଯ୍ୟକ୍ରମର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି ଓ ନଗରଭ୍ରମଣ କାଳରେ ଜନସାଧାରଣ, ସରକାରୀ ଅଫିସର, ଏପରିକି ମନ୍ତ୍ରୀମାନଙ୍କ ଉପରେ ଜୋରିମାନା ଦଣ୍ଡାଦେଶ କରିପାରନ୍ତି ୤ ଏହି ସବୁ ମନୋରଞନ କାର୍ଯ୍ୟକ୍ରମକୁ ନେଇ ଧନୁଯାତ୍ରା ଉତ୍ସବ ବେଶ ଉପଭୋଗ୍ୟ ହୋଇଥାଏ ୤ ପୌଷ ପୂର୍ଣ୍ଣିମା ଦିନ କଂସବଧ ସହ ଏହି ଯାତ୍ରା ଉଦ୍ଯାପିତ ହୁଏ ୤
ବିଶ୍ବଜୀବନ ହେ !
ବିଶ୍ବଜୀବନ ହେ
ତୁମ୍ଭକୁ କରୁଣା ସିନ୍ଧୁ,
ବୋଲିବାକୁ ମନ ବଳୁନାଇଁ ଯେଣୁ
ସିନ୍ଧୁ ତବ କୃପାବିନ୍ଦୁ ୤
ତୁମ ଭଜନରେ ହେବି ନାହିଁ ନାଥ
ମାଳା ଜପିବାକୁ ବାଧ୍ୟ,
କୋଟି କୋଟି ଗ୍ରହ କଣ୍ଠି ସେ ମାଳାର
କେ ଜପି କରିବ ସାଧ୍ୟ ୤
ଦେଇନାହଁ ବଳ ପାଦଧୂଳି ଘେନି
ପାରିବ ନାହିଁ ମୋ ମୁଣ୍ଡ,
କୋଟି କୋଟି ରବି ଧୂଳି ରୂପେ ତୁମ୍ଭ
ପାଦେ ହୋଇଛନ୍ତି ରୁଣ୍ଡ ୤
ମୁଁକାର ମାତର ମୋର ନୁହେଁ ବୋଲି
କହିବାକୁ ନାହିଁ ବାଟ,
ଦୂରୁଁ ଶ୍ରୀଚରଣେ ଅର୍ପଣ କରୁଛି
ଘେନ ହେ ବିଶ୍ବ-ସମ୍ରାଟ ୤
------------------
Swabhaba Kabi Gangadhar Meher
- ସ୍ବଭାବକବି ଗଙ୍ଗାଧର ମେହେର -
ପୂର୍ବ ପୃଷ୍ଠା
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |