୧୬ ସେପ୍ଟେମ୍ବର ୨୦୧୭ ସୁଦ୍ଧା ମୋଟ ୯୧୪ ରକ୍ତଦାନ ଶିବିରରୁ ୪୪୮୨୯ ୟୁନିଟ୍ ରକ୍ତ ସଂଗୃହୀତ। ୧୮ ଅଗଷ୍ଟ ଯୁବ ସ୍ବାଭିମାନ ଦିବସରେ ରେକର୍ଡ଼ - ରାଜ୍ୟବ୍ୟାପୀ ୬୫ ରକ୍ତଦାନ ଶିବିରରୁ ୫୧୧୪ ୟୁନିଟ୍ ରକ୍ତ ସଂଗୃହୀଦ। ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
ଆଜି ବିଶ୍ବ ରକ୍ତଦାତା ଦିବସ- କଟକ ମହାନଗରରେ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା
କଟକ, ୧୩।୬ ଗ୍ରୀଷ୍ମକାଳୀନ ରକ୍ତର ଅଭାବକୁ ଦୂର କରିବା ପାଇଁ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ କଟକ ମହାନଗରରେ ଆୟୋଜିତ ସ୍ବତନ୍ତ୍ର ରକ୍ତଦାନ କାର୍ଯ୍ୟକ୍ରମ ‘ବିପଦର ବନ୍ଧୁ’କୁ ଅଭୂତପୂର୍ବ ସଫଳତା ମିଳିଛି। ଗତ ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ କରାଯାଇଥିବା ୯୦ ଦିନବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ପ୍ରତ୍ୟେକ ଦିନ ଏକାଧିକ ଉତ୍ସାହୀ ରକ୍ତଦାତା ରକ୍ତଭଣ୍ଡାରକୁ ଯାଇ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ଗତ ଜୁନ୍ ୧୨ ତାରିଖ ଦିନ ଉଦଯାପିତ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୧,୪୮୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଉଭୟ ସେଣ୍ଟ୍ରାଲ ରେଡ଼କ୍ରସ ରକ୍ତ ଭଣ୍ଡାର ଓ ଏସ୍.ସି.ବି. ମେଡିକାଲ କଲେଜ ରକ୍ତ ଭଣ୍ଡାରରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରୀଷ୍ମକାଳୀନ ଜରୁରି ଆବଶ୍ୟକତାକୁ ମେଣ୍ଟା ଯାଇପାରିଥିଲା। ‘ଆମ ରାଜ୍ୟରେ ରକ୍ତର ଅଭାବରୁ କାହାକୁ ମରବାକୁ ଦିଆଯିବ ନାହିଁ’ର ଲକ୍ଷ୍ୟ ନେଇ ‘ସମ୍ବାଦ-ଆମ ଓଡ଼ିଶା’ ତରଫରୁ ସ୍ବେଚ୍ଛା ରକ୍ତଦାନକୁ ଏକ ନିୟମିତ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରାଯାଇଛି। ଲଗାତାର ଭାବେ ପ୍ରତିବର୍ଷ ‘ଆମ ଓଡ଼ିଶା’ ରକ୍ତଦାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଲାଗି ରାଜ୍ୟସ୍ତରରେ ପୁରସ୍କୃତ ହୋଇଆସୁଛି। ମାଲକାନଗିରିଠାରୁ ମୟୂରଭଂଜ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ରକ୍ତଦାନ ଶିବିର ଆୟୋଜନ କରି ‘ଆମ ଓଡ଼ିଶା’ ବର୍ତ୍ତମାନ ସୁଦ୍ଧା ମୋଟ ୪ ଲକ୍ଷ ୧୬ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛି। ମେଗା ଶିବିରମାନ ଆୟୋଜନ କରି ଏକକାଳୀନ ବହୁ ସଂଖ୍ୟକ ୟୁନିଟ ରକ୍ତ ସଂଗ୍ରହ କରିବା ଅପେକ୍ଷା ନିରବଚ୍ଛିନ୍ନ ଭାବେ ବର୍ଷ ସାରା ରାଜ୍ୟର କୋଣ ଅନୁକୋଣରେ ଆବଶ୍ୟକତା ଅନୁଯାୟୀ ଶିବିର ଆୟୋଜନ କରିବା ଅଧିକ ଉପଯୋଗୀ। ଏହି ପରିପ୍ରେକ୍ଷୀରେ ଗ୍ରୀଷ୍ମକାଳୀନ ରକ୍ତର ଅଭାବ ସମୟରେ ଲଗାତାର ୯୦ ଦିନ କାଳ କଟକ ସହରରେ ପ୍ରତ୍ୟେକ ଦିନ ଶିବିର ଆୟୋଜନ କରି ‘ଆମ ଓଡ଼ିଶା’ ରୋଗୀମାନଙ୍କର ଜରୁରୀ ଆବଶ୍ୟକତା ମେଣ୍ଟାଇ ପାରିଛି। କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଯୋଗ ଦେଇ କଟକ ରକ୍ତଭଣ୍ଡାର କର୍ମକର୍ତ୍ତା, ସମସ୍ତ ସହଯୋଗୀ ଅନଷ୍ଠାନ, ସ୍ବେଚ୍ଛା ରକ୍ତଦାତା ଓ ଆୟୋଜକ ସହକର୍ମୀ ବନ୍ଧୁମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ। ଆଜି ‘ବିଶ୍ବ ରକ୍ତଦାତା ଦିବସ’ରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ରାଜ୍ୟର ଅଗଣିତ ରକ୍ତଦାତା ଓ ସହଯୋଗୀ ଅନୁଷ୍ଠାନମାନଙ୍କୁ ଶୁଭକାମନା ଓ କୃତଜ୍ଞତା ଜଣାଇବା ସଂଗେସଂଗେ ଆଗାମୀ ଦିନରେ ଏହି କର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଆହ୍ବାନ ଜଣାଇଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |