Back

   
ଯୁବ ସ୍ବାଭିମାନ ଦିବସ: ରେକର୍ଡ଼ ୪୨୬୨ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ବର, ୧୮/୮ (ଇମିସ): ସାରା ଓଡ଼ିଶାରେ ରକ୍ତଦାନ ଅଭିଯାନକୁ ଏକ ନୂତନ ଦିଶା ଦେଇଥିବା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନକୁ ଆଜି ଯୁବ ସ୍ବାଭିମାନ ଦିବସ ରୂପେ ପାଳନ କରାଯାଇଛି। ଏହି ଉପଲକ୍ଷେ ମାଲକାନଗିରିରୁ ମୟୂରଭଂଜ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ‘ଆମ ଓଡ଼ିଶା’ ପକ୍ଷରୁ ଆଜି ଗୋଟିଏ ଦିନରେ ମୋଟ ୬୪ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବାବେଳେ ଏହିସବୁ ଶିବିରରୁ ରେକର୍ଡ଼ ୪୨୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିନକୁ ଯୁବ ସ୍ବାଭିମାନ ଦିବସ ରୂପେ ପାଳନ କରାଯିବା ସହିତ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ରାଜ୍ୟବ୍ୟାପୀ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ଶିବିରରେ ସ୍ବେଚ୍ଛାସେବୀ ରକ୍ତଦାତାମାନେ ଖୁବ୍ ଉତ୍ସାହର ସହ ରକ୍ତଦାନ କରିଥିଲେ। ସକାଳରୁ ସନ୍ଧ୍ୟା ଯାଏ ଶିବିରଗୁଡ଼ିକରେ ରକ୍ତଦାତାମାନଙ୍କ ଭିଡ଼ ଲାଗିଥିଲା। କେତେକ ସ୍ଥାନରେ ସନ୍ଧ୍ୟାରେ ମଧ୍ୟ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଫଳ ସ୍ବରୂପ ଗୋଟିଏ ଦିନରେ ଏତେ ପରିମାଣର ରକ୍ତ ସଂଗ୍ରହର ନୂତନ ରେକର୍ଡ଼ ସୃଷ୍ଟି ହୋଇପାରିଥିଲା। ସେଥିମଧ୍ୟରୁ ସମ୍ବଲପୁରର ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଆୟୋଜିତ ଶିବିରରେ ସର୍ବଧିକ ୨୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ରେଭେନସା ଇଷ୍ଟ ହଷ୍ଟେଲରେ ଅନୁଷ୍ଠିତ ଶିବିରରୁ ୨୧୭ ଏବଂ ବାଲେଶ୍ବର ସିଓର ସକସେସରେ ଅନୁଷ୍ଠିତ ଶିବିରରୁ ୨୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହା ବ୍ୟତୀତ ଅନ୍ୟ ୧୨ଟି ଶିବିରରୁ ମଧ୍ୟ ଶହେ ବା ଶହେରୁ ଅଧିକ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ସେଗୁଡ଼ିକ ମଧ୍ୟରେ ରାଉରକେଲାର ରିମସରେ ୧୯୩ ୟୁନିଟ, ବଲାଙ୍ଗୀର ଏମ୍ ବି ଧର୍ମଶାଳାରେ ୧୬୫ ୟୁନିଟ, କଣିହାଁ ପ୍ରଜାମଣ୍ଡଳ ଭବନରେ ୧୫୨ ୟୁନିଟ, ବାରିପଦା ସାଗର ପ୍ୟାଲେସ କଲ୍ୟାଣ ମଣ୍ଡପରେ ୧୩୭ ୟୁନିଟ, ଢେଙ୍କାନାଳ ଟାଉନ ହଲରେ ୧୩୨ ୟୁନିଟ, ଖଣ୍ଡପଡ଼ା ସୌମ୍ୟବିହାରରେ ୧୧୦ ୟୁନିଟ, ପୁରୀ ଡୁଡୁୱାଲା ଧର୍ମଶାଳାରଆ ୧୦୫ ୟୁନିଟ୍, ସମ୍ବଲପୁର ସାକ୍ଷୀପଡ଼ାସ୍ଥିତ ସମ୍ବାଦ ଭବନରେ ୧୦୨ ୟୁନିଟ୍, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୧୦୧ ୟୁନିଟ୍, ବରଗଡ଼ କଲ୍ୟାଣ ମଣ୍ଡପରେ ୧୦୧ ୟୁନିଟ ଏବଂ ଭୁବନେଶ୍ବର ସମ୍ବାଦ ଭବନରେ ୧୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହିସବୁ ରକ୍ତଦାନ ଶିବିରକୁ ବିଭିନ୍ନ ଜିଲ୍ଲାର ରେଡକ୍ରସ ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ପରିଚାଳନା କରିଥିବାବେଳେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଏବଂ ସମ୍ବାଦ ଓ ଆମଓଡ଼ିଶାର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୩ ମସିହାରେ ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ସାରା ରାଜ୍ୟରୁ ମୋଟ ୩୪୩୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାବେଳେ ୨୦୧୪ରେ ଏହି ଦିନ ୩୭୦୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ‘ଆମ ଓଡ଼ିଶା’ ତରଫରୁ ସମସ୍ତ ରକ୍ତଦାତାମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଉଛି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଘୋଷଣାନାମା   |   ସର୍ତ୍ତାବଳୀ   |   ଗୋପନୀୟତା ନୀତି   |   ଫେରସ୍ତ ନୀତି   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ଆମ ଓଡ଼ିଶା   |