୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଆମ ଓଡ଼ିଶାର ନୂଆବହି ‘ବଙ୍କିମ ଉପନ୍ୟାସମାଳା’ ଉନ୍ମୋଚିତ Download  
‘ବଙ୍କିମ ଉପନ୍ୟାସମାଳାର’ ଉନ୍ମୋଚିତ ଅନୁବାଦ ହୃଦୟଗ୍ରାହୀ ହେବା ଜରୁରୀ: ଆସାମ ରାଜ୍ୟପାଳ ଅନୁବାଦ ସମସ୍ତଙ୍କୁ ଏକାଠି କରେ୤ପ୍ରତି ସାହିତ୍ୟରେ ଅନୁବାଦର ବୈଶିଷ୍ଟ ରହିଛି ୤ ମାତ୍ର ଅନୁବାଦ ହୃଦୟଗ୍ରାହୀ ହେବା ଆବଶ୍ୟକ ବୋଲି ଆସାମର ମହାମହିମ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ କହିଛନ୍ତି ୤ ଆଜି ସ୍ଥାନୀୟ ଇଡ଼କଲ୍ ଅଡ଼ିଟୋରିୟମ ଠାରେ ଆୟୋଜିତ ବଙ୍କିମ ଉପନ୍ୟାସମାଳାର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ତଥା ଏହି ଉପନ୍ୟାସମାଳାର ଅନୁବାଦକ, ବିଶିଷ୍ଟ ସାରସ୍ବତ ସାଧକ ଶ୍ରୀ ପଟ୍ଟନାୟକ କହିଲେ ଯେ ଅନୁବାଦ ଏକ ଅନୁସୃଜନ, ନୂଆ ସୃଷ୍ଟି୤ଏହାର ଭାଷା ସ୍ପଷ୍ଟ ହେବା ସହିତ ଏହା ମୂଳ ଲେଖାର ବିଶ୍ବସନୀୟତା ବଜାୟ ରଖିବା ଉଚିତ୤ ଅନୁବାଦ ସାହିତ୍ୟରେ ଭାବାନୁବାଦର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ୤ ବଙ୍କିମ ସାହିତ୍ୟ ଉପରେ ଆଲୋକପାତ କରି ରାଜ୍ୟପାଳ ଶ୍ରୀ ପଟ୍ଟନାୟକ କହିଲେ ଯେ ବଙ୍କିମଚନ୍ଦ୍ର ହେଉଛନ୍ତି ଭାରତର ପ୍ରଥମ ଉପନ୍ୟାସିକ୤ କାରଣ ତାଙ୍କ ପୂର୍ବରୁ ଗଦ୍ୟ ସାହିତ୍ୟ ନଥିଲା୤ ତେଣୁ ବଙ୍କିମ ଚନ୍ଦ୍ରଙ୍କୁ ଆଧୁନିକ ବଙ୍ଗ ସାହିତ୍ୟର ଉଦଗାତା ଓ ‘ସାହିତ୍ୟ ସମ୍ରାଟ’ କୁହାଯାଏ ୤ ତାଙ୍କ ସାହିତ୍ୟ ମୁଖ୍ୟତଃ ୩ ଭାଗରେ ବିଭକ୍ତ ୤ ଐତିହାସିକ, ସାମାଜିକ ଓ ଆଧ୍ୟାତ୍ମିକ୤ଭାରତୀୟ ଜାତୀୟତାର ଉତଥାନ ପାଇଁ ତାଙ୍କ ରଚିତ ‘ବନ୍ଦେ ମାତରମ୍’ ଏକ ଅନନ୍ୟ ସୃଷ୍ଟି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି୤ ନିଆରା ଉପସ୍ଥାପନା ଶୈଳୀ,ବଳିଷ୍ଠ ଭାଷା ପ୍ରୟୋଗ ତାଙ୍କ ଲେଖାକୁ ସର୍ବଜନଆଦୃତ କରିପାରିଛି ବୋଲି ସେ କହିଛନ୍ତି୤ ଏହି ଅବସରରେ ରାଜ୍ୟପାଳ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆଜିର ଏହି ଉତ୍ସବ ବଙ୍କିମ ସାହିତ୍ୟମାଳାର ୨ୟ ପ୍ରକାଶନ ୤ ପୂର୍ବରୁ ୧୯୯୯ ମସିହାରେ ବରିଷ୍ଠ ରାଜନେତା, ସାହିତ୍ୟିକ ପ୍ରଣବ ମୁଖାର୍ଜୀ ଏହାକୁ ଉନ୍ମୋଚନ କରିଥିଲେ୤ ସେତେବେଳେ ଏହା ପୌରୁଷ ପ୍ରକାଶନୀ ଦ୍ବାରା ୨ଟି ବହି ଆକାରରେ ପ୍ରକାଶ ପାଇଥିଲା୤ ବର୍ତ୍ତମାନ ଏହା ଆମ ଓଡ଼ିଶା ପ୍ରକାଶନୀ ଦ୍ବାରା ମୋଟ୍ ୧୫ଟି ଉପନ୍ୟାସ ୬ଟି ପୁସ୍ତକ ଆକାରରେ ପ୍ରକାଶ ପାଇଛି୤ ପୂର୍ବରୁ ବଙ୍କିମ ଚନ୍ଦ୍ରଙ୍କ ମାତ୍ର ୩/୪ଟି ପୁସ୍ତକ ଓଡ଼ିଆରେ ଅନୁଦିତ ହୋଇ ଥିଲା୤ମାତ୍ର ସେ ବଙ୍କିମ ଚନ୍ଦ୍ରଙ୍କ ୧୫ଟି ଉପନ୍ୟାସକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ସାହିତ୍ୟ,ଭାଷା ପ୍ରତି ନିଜ କର୍ତ୍ତବ୍ୟକୁ କିଛି ମାତ୍ରାରେ ପୂରଣ କରିବାକୁ ସଫଳ ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ୤ ‘ଆମ ଓଡ଼ିଶା’ର ସଭାପତି ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡ଼େମିର ଉପସଭାପତି ବିଶ୍ବନାଥ ପ୍ରସାଦ ତିୱାରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ‘ବଙ୍କିମ ଉପନ୍ୟାସମାଳା’ର ଉନ୍ମୋଚନ କରିଥିଲେ୤ ନିଜ ଅଭିଭାଷଣରେ ଶ୍ରୀ ତିୱାରୀ କହିଲେ ଯେ ରାଜା ରାମମୋହନ ରାୟ ଭାରତୀୟ ନବଜାଗରଣ ପାଇଁ କାର୍ଯ୍ୟ କରୁବିବା ବେଳେ ବଙ୍କିମ ଚନ୍ଦ୍ର ଭାରତୀୟ ମୂଲ୍ୟବାଦୀ ଚେତନାର ପ୍ରତିନିଧିତ୍ବ କରୁଥିଲେ୤ବଙ୍କିମଚନ୍ଦ୍ର ନିଜ ରଚନାରେ ଏକ ନିଜସ୍ବ ବିଚାରକୁ ଅତି ସୁନ୍ଦର ଭାବେ ଉପସ୍ଥାପିତ କରିଛନ୍ତି୤‘ଭୋଗରେ ନୁହେଁ,ସଞ୍ଜମରେ ହିଁ ଅଧିକ ଆନନ୍ଦ ଥାଏ,ଏହା ତାଙ୍କ ସାହିତ୍ୟରେ ସୁନ୍ଦର ଭାବେ ପ୍ରକାଶ କରିଛନ୍ତି୤ ବଙ୍କିମ ଚନ୍ଦ୍ରଙ୍କ ଉପନ୍ୟାସକୁ ଭାରତର ଅନ୍ୟତମ ସଂସ୍କୃତି ପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକ ଅନୁବାଦ କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ଶ୍ରୀ ତିୱାରୀ କହିଛନ୍ତି ୤ ‘ସମ୍ବାଦ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଲେ ଯେ ଓଡ଼ିଶା ହେଉଛି ଏମିତି ଏକ ରାଜ୍ୟ,ଯେଉଁ ରାଜ୍ୟରେ ନିଜ ଭାଷାକୁ ବଞ୍ଚାଇ ରଖିବା ପାଇଁ ସଂଗ୍ରାମ କରିବାକୁ ପଡ଼ୁଛି୤ ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସୁଖପାଠ୍ୟ ଗଦ୍ୟ ସାହିତ୍ୟ ହିଁ ଏକ ଭାଷାକୁ ଆଗକୁ ବଢ଼ାଏ୤ଏ କ୍ଷେତ୍ରରେ ରାଜ୍ୟପାଳ ଶ୍ରୀ ପଟ୍ଟନାୟକ ବଙ୍କିମ ଉପନ୍ୟାସମାଳାକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ଭାଷା ପ୍ରତି ଥିବା ତାଙ୍କ ଅଙ୍ଗୀକାରବଦ୍ଧତା ଓ ସମ୍ବେଦନଶୀଳତାର ପରିଚୟ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି୤ ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ହିନ୍ଦୀ କବି ପ୍ରଫେସର କେଦାର ନାଥ ସିଂହ କହିଥିଲେ ଯେ ଭାରତୀୟ ସାହିତ୍ୟର ସ୍ବରୁପ ବିଶାଳ ୤ ମାତ୍ର ବାହାରେ ଏହାର ଏକ ଖରାପ ଛବି ରହି ଯାଇଛି ୤ ଭାରତୀୟ ସାହିତ୍ୟ ଯେତେ ଅନୁଦିତ ହେବ ତାହା ଭାଷାର ଗୋଟିଏ କୋଠାରୀରୁ ଅନ୍ୟ ଏକ କୋଠାରୀକୁ ଯିବା ପାଇଁ ବାଟ ଖୋଲିବ ବୋଲି ପ୍ରଫେସର ସିଂହ କହିଥିଲେ୤ ଏହି ଅବସରରେ ପୂର୍ବରୁ ଅନୁବାଦ ହୋଇଥିବା ରାଜ୍ୟପାଳ ଶ୍ରୀ ପଟ୍ଟନାୟକଙ୍କ ‘ସିନ୍ଧୁ ଉପତ୍ୟକା’ପରି ଯଦି ଅନ୍ୟ କିଛି କବିତା ଥାଏ ତେବେ ତାହା ମଧ୍ୟ ହିନ୍ଦି ଓ ଅନ୍ୟ ଭାଷାରେ ଅନୁବାଦ ହେବା ଉଚିତ ବୋଲି ପ୍ରଫେସର ସିଂହ କହିଥଲେ ୤ ପ୍ରାରମ୍ଭରେ ‘ଆମ ଓଡ଼ିଶା’ ପ୍ରକାଶନ ବିଭାଗର ସମ୍ପାଦକ ଅସିତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଧନ୍ୟବାଦ ଦେଇଥିଲେ୤ଏହି ସାରସ୍ବତ ଉତ୍ସବରେ ରାଜ୍ୟର ବହୁ ପ୍ରତିଷ୍ଠିତ ସାହିତ୍ୟିକ,ବୁଦ୍ଧିଜୀବୀ ଉପସ୍ଥିତ ଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |