୧୫ ଜୁନ୍ ୨୦୧୯ ସୁଦ୍ଧା ମୋଟ ଶିବିର ସଂଖ୍ୟା ୪୦୩, ମୋଟ ରକ୍ତ ସଂଗ୍ରହ ୨୦୦୭୯ ୟୁନିଟ୍। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ‘ଆମ ଓଡ଼ିଶା’ର ଅଭୁତପୂର୍ବ ସଫଳତା:୧୦୩୯୭ ଶିବିର, ୫.୨୭ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ
ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଆମ ଓଡ଼ିଶା ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛି। ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗତ ୧୩ ବର୍ଷରେ ୧୦୩୯୭ଟି ଶିବିର ଅୟୋଜିତ ହୋଇଛି। ଏଥିରୁ ୫ଲକ୍ଷ ୨୭ହଜାର ୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଯାହା ଏକ ବିରଳ ରେକର୍ଡ଼। ୨୦୧୮ ବର୍ଷରେ ‘ଆମ ଓଡ଼ିଶା’ ଅଭୁତପୂର୍ବ ସଫଳତା ହାସଲ କରିଛି। ଏହି ବର୍ଷ ୧୩୪୦ଟି ଶିବିରରୁ ୬୮୩୭୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଯାହା ୧୩ ବର୍ଷ ମଧ୍ୟରେ ସର୍ବକାଳୀନ ରେକର୍ଡ଼। ରାଜ୍ୟର ୩୦ଟି ଜିଲ୍ଲାକୁ ୯ଟି ଜୋନରେ ବିଭକ୍ତ କରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟାଜିତ ହୋଇଥିଲା। ବାଲେଶ୍ବର ଜୋନରେ ସର୍ବଧିକ ୧୫୫୬୪ ୟୁନିଟ୍ ସଂଗୃହୀତ ହୋଇଥିବାବେଳେ କଟକ ଜୋନରେ ୧୧୫୦୨, ସମ୍ବଲପୁର ଜୋନରେ ୧୦୭୫୪, ବ୍ରହ୍ମପୁର ଜୋନରେ ୮୧୯୫, ଭୁବନେଶ୍ବର ଜୋନରେ ୬୧୨୧, ଜୟପୁର ଜୋନରେ ୫୦୧୯, ଯାଜପୁର ଜୋନରେ ୨୮୪୮ ଏବଂ ରାଉରକେଲା ଜୋନରେ ୧୫୫୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବାଲେଶ୍ବର ଜିଲ୍ଲା ୯୨୫୩ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲାମାନଙ୍କ ମଧ୍ୟରେ ସର୍ବର୍ଗ୍ରେ ରହିଛି। ୨୦୧୮ ମସିହାର ସବୁଠାରୁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଥିଲା ‘ବିପଦର ବନ୍ଧୁ’। ଏହି କାର୍ଯ୍ୟକ୍ରମଟି କଟକ ସହରର ରକ୍ତ ଭଣ୍ଡାରଗୁଡ଼ିକରେ ଗ୍ରୀଷ୍ମଦିନର ରକ୍ତ ଅଭାବକୁ ଦୂର କରିବାରେ ସହାୟକ ହୋଇଥିଲା। ଯେଉଁ ସମୟରେ ରକ୍ତ ଅଭାବ ସଙ୍ଗିନ ପରିସ୍ଥିତି ସୃଷ୍ଟି କରେ ସେହି ସମୟରେ ‘ଆମ ଓଡ଼ିଶା’ ନିରବଚ୍ଛିନ୍ନ ଭାବେ ଦୀର୍ଘ ୬୦ ଦିନରେ ମୋଟ ୭୬୫ ଜଣ ରକ୍ତଦାତାଙ୍କୁ ନେଇ ରକ୍ତଭଣ୍ଡାରରେ ରକ୍ତଦାନ କରିବାର ସୁଯୋଗ ସୃଷ୍ଟି କରିଥିଲା। ଏତଦବ୍ୟତୀତ ଓଡ଼ିଶାରେ ସର୍ବାଧିକ ଏକଦିବସୀୟ ରକ୍ତସଂଗ୍ରହ କ୍ଷେତ୍ରରେ ‘ଆମ ଓଡ଼ିଶା’କୁ ଆଉ ଏକ ବଡ଼ ସଫଳତା ମିଳିଛି। ୨୦୧୮, ଅଗଷ୍ଟ ୧୮ରେ ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ମୋଟ ୬୯ଟି ରକ୍ତଦାନ ଶିବିରରୁ ୫୭୧୨ ୟୁନିଟ ସଂଗ୍ରହ ହେଲା। ସେହିପରି ଜାନୁଆରି ୨୩ରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଏକକାଳୀନ ରକ୍ତଦାନ ଶିବିର ଆୟୋଜନ କରି ଗୋଟିଏ ଦିନରେ ମୋଟ ୪୮ଟି ଶିବିରରୁ ୧୯୭୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇପାରିଥିଲା। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସପ୍ତାହବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେହି ବର୍ଷ ଅକ୍ଟୋବର ୨୫ରୁ ୩୧ ତାରିଖ ମଧ୍ୟରେ ୧୮୧ ଟି ଶିବିରରୁ ମୋଟ ୯୨୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ‘ରକ୍ତ ଅଭାବରୁ ଆମ ରାଜ୍ୟରେ କାହାରିକୁ ମରିବାକୁ ଦେବା ନାହିଁ’ ଲକ୍ଷ୍ୟ ନେଇ ଏହାକୁ ଏକ ନିୟମିତ କାର୍ଯ୍ୟକ୍ରମରେ ପରିଣତ କରାଗଲା। ଏଥିରେ ୨୦୦୭ରେ ୩୧୧ଟି ଶିବିରରୁ ୧୫୫୫୭ ୟୁନିଟ୍, ୨୦୦୮ରେ ୩୬୫ଟି ଶିବିରରୁ ୧୭୭୫୦, ୨୦୦୯ରେ ୪୭୪ଟି ଶିବିରରୁ ୨୫୨୭୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ୨୦୧୦ରେ ପ୍ରଥମଥର ପାଇଁ ୫୦୦ରୁ ଅଧିକ ଶିବିର ଆୟୋଜନ ହୋଇଥିଲା। ସେହିପରି ୨୦୧୧ରେ ୮୦୨ଟି ଶିବିରରୁ ୪୮୦୬୧ ୟୁନିଟ୍, ୨୦୧୨ରେ ୮୨୮ଟି ଶିବିରରୁ ୪୫୦୨୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ୨୦୧୩ ମସିହାରେ ‘ଆମ ଓଡ଼ିଶା’ ୧୦୦୦ରୁ ଅଧିକ ଶିବିର ଆୟୋଜନ କରି ୫୦୦୦୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରି ଦୁଇଟି ନୂଆ ରେକର୍ଡ଼ ସ୍ଥାପନ କରିଥିଲା। ୨୦୧୩ ମସିହାରେ ୧୦୦୪ ଶିବିରରୁ ୫୨୭୯୫ ୟୁନିଟ ସଂଗୃହୀତ ହୋଇଥିବାବେଳେ ୨୦୧୪ରେ ୧୦୨୬ଟି ଶିବିରରୁ ୫୨୬୪୫ ୟୁନିଟ ଓ ୨୦୧୬ରେ ୧୨୨୨ଟି ଶିବିରରୁ ୫୭୩୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ୨୦୧୭ରେ ୧୪୪୪ଟି ଶିବିରରୁ ୬୫୪୪୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକ୍, ପୌରାଞ୍ଚଳ ଓ ସହରାଞ୍ଚଳରେ ଶିବିର ଆୟୋଜନ କରି ‘ଆମ ଓଡ଼ିଶା’ର ଏହି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଛି। ସାରା ଓଡ଼ିଶାର ସହରାଞ୍ଚଳ ପୁରପଲ୍ଲୀରେ ‘ଆମ ଓଡ଼ିଶା’ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ ମିଳିଛି, ତଥା ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ରକ୍ତଦାତା ଓ ସହଯୋଗୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆଗେଇ ଆସିଛନ୍ତି। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟା ସଦସ୍ୟ, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ପୃଷ୍ଠପୋଷକ, ଶଭେଚ୍ଛୁ ତଥା ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ନବବର୍ଷ ୨୦୧୯ର ଅଭିନନ୍ଦନ ଜଣାଇବା ସଂଗେ ସଂଗେ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |