୩୧ ଡିସେମ୍ବର ୨୦୧୭ ତାରିଖ ସୁଦ୍ଧା ମୋଟ ଶିବିର ସଂଖ୍ୟା ୧୪୪୪, ମୋଟ ରକ୍ତ ସଂଗ୍ରହ ୬୫୪୪୯ ୟୁନିଟ୍। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ‘ଆମ ଓଡ଼ିଶା’ର ଅଭୂତପୂର୍ବ ସଫଳତା: ୧୪୪୪ ଶିବିରରୁ ୬୫୪୪୯ ୟୁନିଟ୍ ରକ୍ତ ସଂଗୃହୀତ
ଭୁବେନଶ୍ବର,୩୧/୧୨ (ଇମିସ)- ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ୨୦୧୭ ବର୍ଷରେ ‘ଆମ ଓଡ଼ିଶା’ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି। ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ବୈପ୍ଳବିକ ଅଭିଯାନ ୧୧ଟି ସଫଳ ବର୍ଷ ଅତିକ୍ରମ କରିବା ପରେ ୨୦୧୭ରେ ରକ୍ତଦାନ କ୍ଷେତ୍ରରେ ରେକର୍ଡ଼ ସୃଷ୍ଟି କରିଛି। ୨୦୧୬ରେ ସର୍ବାଧିକ ୧୨୨୨ଟି ଶିବିରରୁ ୫୭୩୩୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ୨୦୧୭ରେ ରେକର୍ଡ଼ ସଂଖ୍ୟକ ୧୪୪୪ଟି ଶିବିରରୁ ୬୫୪୪୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇପାରିଛି। ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ ୮ଟି ଜୋନରେ ବିଭକ୍ତ କରାଯାଇ ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ବର ଜୋନରେ ସର୍ବଧିକ ୧୩୭୨୪ ୟୁନିଟ୍ ସଂଗୃହୀତ ହୋଇଥିବାବେଳେ କଟକ ଜୋନରେ ୧୨୦୬୭, ସମ୍ବଲପୁର ଜୋନରେ ୧୦୭୭୩, ଅନୁଗୁଳ ଜୋନରେ ୯୯୧୮, ବ୍ରହ୍ମପୁର ଜୋନରେ ୮୦୬୫, ଭୁବନେଶ୍ବର ଜୋନରେ ୬୦୨୯, ଜୟପୁର ଜୋନରେ ୧୩୮୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଜିଲ୍ଲାରେ ଅଧିକ ରକ୍ତ ସଂଗ୍ରହ କରିବା କ୍ଷେତ୍ରରେ ପ୍ରଥମ ୫ଟି ସ୍ଥାନରେ ରହିଛନ୍ତି ବାଲେଶ୍ବର (୮୭୯୦), କଟକ (୭୫୬୨), ଅନୁଗୁଳ (୭୦୧୮), ଗଂଜାମ (୬୨୫୪) ଓ ଖୋର୍ଦ୍ଧା (୪୦୮୩) ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସପ୍ତାହବ୍ୟାପୀ ସ୍ବେଚ୍ଛା ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେହି ବର୍ଷ ଅକ୍ଟୋବର ୨୫ରୁ ୩୧ ତାରିଖ ମଧ୍ୟରେ ୧୮୧ଟି ଶିବିରରୁ ମୋଟ ୯୨୫୦ ରକ୍ତ ସଂଗୃହୀତ ହୋଇଥିଲା। ‘ରକ୍ତ ଅଭାବରୁ ଆମ ରାଜ୍ୟରେ କାହାରିକୁ ମରିବାକୁ ଦେବାନାହିଁ’ ଲକ୍ଷ୍ୟ ନେଇ ୨୦୦୬ ମସିହାରୁ ଏହାକୁ ସାରା ବର୍ଷର ଏକ ନିୟମିତ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି। ଏଥିରେ ୨୦୦୭ରେ ୩୧୧ଟି ଶିବିରରୁ ୧୫୫୫୭ ୟୁନିଟ୍, ୨୦୦୮ରେ ୩୬୫ଟି ଶିବିରରୁ ୧୭୭୭୫୦, ୨୦୦୯ରେ ୪୭୪ଟି ଶିବିରରୁ ୨୫୨୭୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ୨୦୧୦ରେ ପ୍ରଥମଥର ପାଇଁ ୫୦୦ରୁ ଅଧିକ ଶିବିର ଆୟୋଜନ ହୋଇଥିଲା। ସେହିପରି ୨୦୧୧ରେ ୮୦୨ଟି ଶିବିରରୁ ୪୮୦୬୧ ୟୁନିଟ, ୨୦୧୨ରେ ୮୨୮ଟି ଶିବିରରୁ ୪୫୦୨୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହପରେ ୨୦୧୩ ମସିହାରେ ‘ଆମ ଓଡ଼ିଶା’ ୧୦୦୦ରୁ ଅଧିକ ଶିବିର ଆୟୋଜନ କରି ଏବଂ ୫୦,୦୦୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରି ଦୁଇଟି ନୂଆ ରେକର୍ଡ଼ ସ୍ଥାପନ କରିବାର ବିରଳ କୃତୀତ୍ବ ଅର୍ଜନ କରିଥିଲା। ୨୦୧୩ ମସିହାରେ ୧୦୦୪ ଶିବିରରୁ ୫୨୭୯୫ ୟୁନିଟ ସଂଗୃହୀତ ହୋଇଥିଲାବେଳେ ୨୦୧୪ରେ ୧୦୨୬ଟି ଶିବିରରୁ ୫୨୬୪୫ ୟୁନିଟ୍ ଓ ୨୦୧୬ରେ ୧୨୨୨ଟି ଶିବିରରୁ ୫୭୩୩୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରାଜ୍ୟର କ୍ଷମତାସୀନ ଦଳ ଦ୍ବାରା ପ୍ରାୟୋଜିତ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ୨୦୧୫ରେ ଆରମ୍ଭ ହୋଇଥିଲା। ସେହି ବର୍ଷ ‘ଆମ ଓଡ଼ିଶା’ର ମୋଟ ରକ୍ତସଂଗ୍ରହ ୪୨୪୪୦ ୟୁନିଟ ଥିଲା। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ୨୦୧୬ରେ ଏହି ସଂଖ୍ୟା ପ୍ରାୟ ୩୩ ପ୍ରତିଶତ ବୃଦ୍ଧି ପାଇଁ ୫୭୩୩୭ ୟୁନିଟରେ ପହଞ୍ଚିଥିଲା। କିନ୍ତୁ ଏ ବର୍ଷ ସବୁ ବାଧବିଘ୍ନକୁ ଅତିକ୍ରମ କରି ସମସ୍ତ ରେକର୍ଡ଼କୁ ଅତିକ୍ରମ କରାଯାଇପାରିଛି। ଯାହା ଗତବର୍ଷଠାରୁ ୧୪% ଅଧିକ। ୨୦୧୭ ମସିହାର ସବୁଠାରୁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଥିଲା ‘ବିପଦର ବନ୍ଧୁ’। ଏହି କାର୍ଯ୍ୟକ୍ରମଟି କଟକ ସହରର ରକ୍ତ ଭଣ୍ଡାରଗୁଡ଼ିକରେ ଗ୍ରୀଷ୍ଣଦିନର ରକ୍ତ ଅଭାବକୁ ଦୂର କରିବାରେ ସହାୟକ ହୋଇଥିଲା। ଯେଉଁ ସମୟରେ ରକ୍ତ ଅଭାବ ସଙ୍ଗିନ ପରିସ୍ଥିତି ସୃଷ୍ଟି କରେ ସେହି ସମୟରେ ଅର୍ଥାତ୍ ମାର୍ଚ୍ଚ ୧୫ରୁ ଜୁନ୍ ୧୨ ମଧ୍ୟରେ ନିରବଚ୍ଛିନ୍ନ ଭାବେ ଦୀର୍ଘ ୯୦ ଦିନରେ ମୋଟ ୧୪୭୪ ଜଣ ରକ୍ତଦାତାଙ୍କୁ ନେଇ ରକ୍ତଭଣ୍ଡାରରେ ରକ୍ତଦାନ କରିବାର ସୁଯୋଗ ‘ଆମ ଓଡ଼ିଶା’ ସୃଷ୍ଟି କରିଥିଲା। ଯାହା ଚଳିତବର୍ଷର ରେକର୍ଡ଼ ରକ୍ତ ସଂଗ୍ରହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଦଦବ୍ୟତୀତ ଓଡ଼ିଶାରେ ସର୍ବାଧିକ ଏକଦିବସୀୟ ରକ୍ତସଂଗ୍ରହ କ୍ଷେତ୍ରରେ ‘ଆମ ଓଡ଼ିଶା’କୁ ଆଉ ଏକ ବଡ଼ ସଫଳତା ମିଳିଛି। ଅଗଷ୍ଟ ୧୮ରେ ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ମୋଟ ୬୫ଟି ରକ୍ତଦାନ ଶିବିରରୁ ୫୧୧୯ ୟୁନିଟ ସଂଗ୍ରହ ହେଲା। ସେହିପରି ଜାନୁଆରି ୨୩ରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଏକକାଳୀନ ରକ୍ତଦାନ ଶିବିର ଆୟୋଜନ କରି ଗୋଟିଏ ଦିନରେ ମୋଟ ୧୪୯୦ ୟୁନିଟ ରକ୍ତସଂଗ୍ରହ କରାଯାଇପାରିଥିଲା। ୨୦୦୬ରୁ ୨୦୧୭ ମଧ୍ୟରେ ‘ଆମ ଓଡ଼ିଶା’ ସ୍ବେଚ୍ଛା ରକ୍ତଦାନ ଶିବିର ମାଧ୍ୟମରେ ସର୍ବମୋଟ ୪୫୮୭୦୩ ୟୁନିଟ ରକ୍ତ କରି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛି। ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକ, ପୌରାଞ୍ଚଳ ଓ ସହରାଞ୍ଚଳର ଓ ପୁରପଲ୍ଲୀରେ ‘ଆମ ଓଡ଼ିଶା’ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ ମିଳିଛି, ତଥା ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ରକ୍ତଦାତା ଓ ସହଯୋଗୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆଗେଇ ଆସିଛନ୍ତି। ଏହି ଅବସରରେ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟ ସଦସ୍ୟା, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ପୃଷ୍ଠପୋଷକ, ଶୁଭେଚ୍ଛୁ ତଥା ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ନବବର୍ଷ ୨୦୧୮ର ଅଭିନନ୍ଦନ ଜଣାଇବା ସଂଗେ ସଂଗେ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |