୨୮ ଅକ୍ଟୋବର ୨୦୧୭ ସୁଦ୍ଧା ମୋଟ ୧୦୫୨ ରକ୍ତଦାନ ଶିବିରରୁ ୫୦୮୭୮ ୟୁନିଟ୍ ରକ୍ତ ସଂଗୃହୀତ। ରକ୍ତଦାନ କ୍ଷେତ୍ରରେ ଆମ ଓଡ଼ିଶା ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ରାଜ୍ୟ ସରକାରଙ୍କ ଠାରୁ ଲଗାତାର ୧୧ ଥର ପୁରସ୍କୃତ। ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ।

Back

   
‘ମାଆ ହିଁ ପ୍ରକୃତ ପରିଚୟ’ : ଦ୍ବାଦଶ ‘ଆମ ଓଡ଼ିଶା’ ବକ୍ତୃତାମାଳାରେ ଚନ୍ଦ୍ରଶେଖର ରଥଙ୍କ ମତ
ରାମାୟଣରୁ ମହାଭାରତ ଯାଏ ସବୁଠି ମାଆକୁ ଅଧିକ ଗୁରୁତ୍ବ ଦିଆଯାଇଥିବାବେଳେ, ବର୍ତମାନ ଆମ ସମାଜରେ ମାଆ ଓ ମାତୃଭୂମିକୁ ଯେଉଁ ସମ୍ମାନ ଓ ସ୍ଥାନ ମିଳିବା କଥା ତାହା ମିଳି ନାହିଁ୤ ପିଲାର ପରିଚୟ ପ୍ରଦାନ ବେଳେ, ପିତା ସହିତ ମାଆଙ୍କ ନାମ ମଧ୍ୟ ଏଣିକି ରହୁ୤ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ଦ୍ବାଦଶ ସ୍ବାଭିମାନ ଦିବସ ଓ ଆମ ଓଡ଼ିଶା ବକ୍ତୃତାମାଳାର ମୁଖ୍ୟ ଅତିଥି ବିଶିଷ୍ଯ ସାହିତ୍ୟିକ ଚନ୍ଦ୍ରଶେଖର ରଥ ଏହା କହିଛନ୍ତି୤ ଅସୁସ୍ଥତା ଯୋଗୁଁ ଶ୍ରୀ ରଥ ଉତ୍ସବରେ ଯୋଗଦେଇ ପାରି ନ ଥିଲେ ମଧ୍ୟ ଦୃଶୃଶ୍ରାବ୍ୟ ବ୍ୟବସ୍ଥା ଦ୍ବାରା ତାଙ୍କ ଭାଷଣକୁ ସମାବେଶରେ ଉପସ୍ଥାପନ କରାଯାଇଥିଲା୤ ଶ୍ରୀ ରଥ କହିଥିଲେ, ପରିଚୟ ସବୁବେଳେ ଆପେକ୍ଷିକ୤ ଜଣେ ବ୍ୟକ୍ତିର ପୃଥିବୀରେ ହଜାର ହଜାର ଆପେକ୍ଷିକ ପରିଚୟ ଥାଏ୤ କିନ୍ତୁ ତାର ନିରପେକ୍ଷ ପରିଚୟ କ’ଣ ତାହା କହିବା ସହଜ ନୁହେଁ୤ ତେବେ, ଏ ପୃଥିବୀର ମାତୃ-ପରିଚୟ ଅଧିକ ଗ୍ରହଣୀୟ୤ ପିତୃ ପରିଚୟ ସବୁବେଳେ ଗୌଣ୤ ମାତୃ ସାପେକ୍ଷ ପରିଚୟ ସ୍ବତଃ ପ୍ରମାଣସିଦ୍ଧ୤ ଗର୍ଭଧାରିଣୀ ମାଆ ତା’ ସନ୍ତାନକୁ ପିତା ସହିତ ପରିଚୟ କରାଏ୤ ମାଆ ହିଁ ଆମର ପ୍ରକୃତ ପରିଚୟ୤ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟ ଜୟନ୍ତୀକୁ ସମଗ୍ର ଓଡ଼ିଶାରେ ପୂର୍ବ ବର୍ଷ ଭଳି ଆଜି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ସ୍ବାଭିମାନ ଦିବସ ଭାବେ ପାଳନ କରାଯାଇଥିଲା୤ ଆମ ଓଡ଼ିଶା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ, ଦୃଶ୍ୟଶ୍ରାବ୍ୟ ବ୍ୟବସ୍ଥାରେ, ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଶ୍ରୀ ରଥ ବ୍ୟକ୍ତିର ମାତୃ ପରିଚୟ ଆଧାର କିଭଳି ଯୁଗେ ଯୁଗେ ରହିଛି, ସେ ସମ୍ପର୍କରେ ମତ ରଖିଥିଲେ୤ ସେ କହିଲେ, ମାଆଙ୍କଠାରୁ ଜନ୍ମିତ ସନ୍ତାନର ପରିଚୟ ଆଧାରରେ ମହାଭାରତରେ ୫ଜଣ ପାଣ୍ଡବଙ୍କ ମଧ୍ୟରୁ ତିନି ଜଣଙ୍କୁ କୌନ୍ତେୟ ଓ ଦୁଇ ଜଣଙ୍କୁ ମାଦ୍ରେୟ ବୋଲି କୁହାଯାଏ୤ କର୍ଣ୍ଣ ମଧ୍ୟ କୌନ୍ତେୟ ଭାବେ ପରିଚିତ୤ ମା’କୁ ନେଇ ସନ୍ତାନର ପରିଚୟକୁ ଆହୁରି ଶାଣିତ କରିବା ପାଇଁ ସେ କହିଲେ, ପିତୃପରିଚୟହୀନ ଦାସୀ ଜବାଳୀର ପୁତ୍ର ଜାବାଳକୁ ଗୌତମ ଋଷି ଶିଷ୍ୟ ଭାବେ ଗ୍ରହଣ କରିବା ସହ ତାଙ୍କ ନାମ ସତ୍ୟକାମ ଜାବାଳୀ ବୋଲି ରଖିଥିଲେ୤ ସନ୍ତାନ ପାଇଁ ମାତାର ପରିଚୟ ସ୍ବତଃ ପ୍ରମାଣ ସିଦ୍ଧ୤ ବ୍ୟକ୍ତିର ପରିଚୟର ସତ୍ତାକୁ ଉପସ୍ଥାପନ କରିବାକୁ ଯାଇ ଶ୍ରୀ ରଥ ଉଭୟ ଭୌତିକ ଓ ଆଧ୍ୟାତ୍ମିକ ଦିଗ ଉପରେ ବିଶଦ ଆଲୋଚନା କରିଥିଲେ୤ ସେ କହିଥିଲେ, ସ୍ବାଭିମାନ ହିଁ ବ୍ୟକ୍ତିର ସବୁଠାରୁ ବଡ଼ ପରିଚୟ୤ ବ୍ୟକ୍ତି ସ୍ବାଭିମାନୀ ହେଲେ ସେ କେବେ କାହାର ଅନୁଗ୍ରହ କିମ୍ବା ଦୟାର ପାତ୍ର ହେବ ନାହିଁ୤ ତା’ ନିକଟରେ ଦର୍ପ ଓ ଅହଙ୍କାର ମଧ୍ୟ ରହିବ ନାହିଁ୤ ନିଜ ସମ୍ମାନ ଉପରେ ଜଣେ ସଚେତନ ହେଲେ ସ୍ବଦେଶ, ସମ୍ମାନ, ମାତୃଭୂମି ଓ ମାତୃଭାଷାର ସମ୍ମାନକୁ ରଖିବାରେ ମଧ୍ୟ ସକ୍ଷମ ହେବ୤ ମୂଲ୍ୟବୋଧ ଉପରେ ଆଘାତ ହେଲେ ସେ ସହି ପାରିବ ନାହିଁ୤ ଏହି ଅବସରରେ ସେ ଏକ ଐତିହାସିକ ପ୍ରସଙ୍ଗ ଉପସ୍ଥାପନା କରି ମହାରାଜା ପୁରୁଙ୍କ ସ୍ବାଭିମାନ ସଂପର୍କରେ ଉଲ୍ଲେଖ କରିଥିଲେ୤ କହିଥିଲେ, ସ୍ବାଭିମାନୀ ହିଁ ଆତ୍ମବିଶ୍ବାସରେ ବଞ୍ଚିରହିବ୤ ମୂଲ୍ୟବୋଧ ଭିତ୍ତିକ ମାନସିକତା ବ୍ୟକ୍ତିର ପରିଚୟ ହୋଇଥିବା ବେଳେ ନାମ, ରୂପ ଓ ଉପାଧିକୁ ନେଇ ମଣିଷର ପରିଚୟ କଥା ସାଧାରଣତଃ କୁହାଯାଏ୤ କିନ୍ତୁ ଏ ତିନିଟି ଅସ୍ଥିର ବିନ୍ଦୁ୤ ଏହା ମୂଳ ପରିଚୟ ନୁହେଁ୤ ପରିଚୟ ପାଇଁ ତିନିଟି ସ୍ଥିର ବିନ୍ଦୁ ମଧ୍ୟରେ ରହିଛି, ସ୍ଥାନ, କାଳ ଓ ପିତୃତ୍ବ୤ ବ୍ୟକ୍ତି କେଉଁଠୁ ଜନ୍ମ ଗ୍ରହଣ କରିଛି, କେତେବେଳେ ଜନ୍ମ ଗ୍ରହଣ କରିଛି ଓ ତାର ପିତା କିଏ୤ ଏହାକୁ ବଦଳାଯାଇ ପାରିବ ନାହିଁ୤ ଭାରତ ଭୂମିରେ ପରିଚୟକୁ ନେଇ ତତ୍ତ୍ବର ବିଶାଳତା ରହିଛି୤ ଆମ ବଂଶଧରର ଆଦିପିତା ତତା ଗୋତ୍ରକୁ ଆଧାର କରି ପରିଚୟ ସୃଷ୍ଟି ହୋଇଛି୤ ମୂଳ ଗୋତ୍ର ଆତ୍ରେୟ୤ ବ୍ୟକ୍ତିର ପରିଚୟରେ ପିତୃତ୍ବର ବିଶେଷ ସଂଜ୍ଞା ଦିଆଯାଏ୤ ବ୍ୟକ୍ତିର ପରିଚୟରେ ପିତୃତ୍ବର ବିଶେଷ ସଂଜ୍ଞା ଦିଆଯାଏ୤ ବ୍ୟକ୍ତିର ପରିଚୟରେ ଆଧ୍ୟାତ୍ମିକ ଦିଗକୁ ବିଚାରକୁ ନେଇ ଶ୍ରୀ ରଥ କହିଲେ, ଏହା ମଧ୍ୟରେ ମହାଜାଗତିକ ସଙ୍କେତ ରହିଛି୤ ବ୍ୟକ୍ତି କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ନୁହେଁ୤ ସାରା ବିଶ୍ବକୁ ସେ ପରିବ୍ୟାପ୍ତ୤ ବ୍ୟକ୍ତିର ଭୂମିକାକୁ ନଆଇ ଧର୍ମ ସଂକଟ ସ୍ଥିତି ମଧ୍ୟ ସୃଷ୍ଟି ହୁଏ୤ ଏହାକୁ କାର୍ପଣ୍ୟ ଦୋଷ କୁହାଯାଏ୤ ଅପରାଧୀ ପୁଅର ବିଚାର କରୁଥିବା ବିଚାରପତି ପିତା ଏହି ଅବସ୍ଥାର ସମ୍ମୁଖୀନ ହୁଏ୤ ଅବସ୍ଥାରେ ପଡ଼ି ଜଣେ ଅନ୍ୟ ନିକଟରେ ବିଭିନ୍ନ ପରିଚୟରେ ଉଭା ହୁଏ୤ ଶ୍ରୀକୃଷ୍ଣ ଧନୁର୍ଧର ଅର୍ଜ୍ଜୁନଙ୍କ ସଖା, ବନ୍ଧୁ ଓ ଭଗ୍ନୀପତି ହୋଇଥିଲେ ମଧ୍ୟ ମହାଭାରତ ଯୁଦ୍ଧରେ ସେ କୃଷ୍ଣଙ୍କୁ ଗୁରୁ ରୂପେ ସମ୍ବୋଧନ କରିଛନ୍ତି୤ ଏଥିରୁ ଶ୍ରୀମଦ୍ ଭଗବତ ଗୀତାର ବ୍ୟାଖ୍ୟାନ ହୋଇଛି୤ ତେଣୁ ଆପେକ୍ଷିକ ଭୂମିରେ ସମ୍ପର୍କ ସ୍ଥିର ହେଲା ପରେ ମଧ୍ୟ ପରିଚୟର ପରିବର୍ତନ ଆସେ୤ ବିଶାଳତାର ସତ୍ତାକୁ ଅବତରଣ କରେ୤ ଏହି ଅବସରରେ ଶ୍ରୀ ରଥ ଏଥେନସର ମହାନ ଦାର୍ଶନିକ ସକ୍ରେଟିସ ଓ ପ୍ଳାଟୋଙ୍କ ପ୍ରସଙ୍ଗ ଉପସ୍ଥାପନ କରିଥିଲେ୤ ପ୍ରୌଢ଼ ସକ୍ରେଟିସ୍ ଓ ତରୁଣ ପ୍ଲାଟୋ ନିଜ ପରିଚୟକୁ ଖୋଜିବା ପାଇଁ କିଭଳି ବାହାରିଥିଲେ ସେହି ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ୤ ବ୍ୟକ୍ତି ପରିଚୟକୁ ପାଶ୍ଚାତ୍ୟ ଦର୍ଶନ ଖୋଜି ଆସିଥିବା ବେଳେ ଭାରତୀୟ ତଥା ଆର୍ଯ୍ୟ ଋଷିଗଣ ସଂସାରର ଅନିତ୍ୟ ମଧ୍ୟରେ ନିତ୍ୟକୁ ଖୋଜି ଆସିଛନ୍ତି୤ ପ୍ରାଣୀ ମଧ୍ୟରେ ଥିବା ‘ମୁଁ’ ଚେତନାରୁ ପରିବର୍ତନର ଧାରା ଆରମ୍ଭ ହୁଏ୤ ଯାହା ସର୍ବତ୍ର ବିଦ୍ୟମାନ ତାହା ସତ୍ୟ୤ ଭାରତର ଆର୍ଯ୍ୟ ଋଷି କହି ଆସିଛନ୍ତି, ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା୤ ବ୍ରହ୍ମ, ଜଗତ ଓ ମୁଁ ମଧ୍ୟରେ ବ୍ୟକ୍ତି ସବୁବେଳେ ନିଜ ପରିଚୟ ଖୋଜି ଆସିଛି୤ ତାର ଉତ୍ତର ମିଳିଛି, ମୁଁ ସେହି, ତୁ ହିଁ ସେହି ସତ୍ୟ୤ ଏହା ପରେ ରହିଛି ଘନ ନିରବତା୤ ଏହି ଭଳି ଏକ ଭୂମିରେ ଭାରତୀୟ ଯୋଗୀ ଓ ଋଷି ପରିଚୟ ଖୋଜିଛନ୍ତି ଓ ପାଇଛନ୍ତି୤ ଯଦି ଜଣେ ସାରା ପୃଥିବୀରେ ପରିବ୍ୟାପ୍ତ, ସେଠି ତାର ସାଧାରଣ ପରିଚୟ ମୂଲ୍ୟହୀନ୤ ଆଧ୍ୟାତ୍ମିକବାଦ ଉପରେ କହିବାକୁ ଯାଇ ଶ୍ରୀ ରଥ କହିଲେ, ନିଜକୁ ଖୋଜିବା ମାର୍ଗଟି ସ୍ବତନ୍ତ୍ର୤ ଏ ନେଇ ଜିଜ୍ଞାସା ଜାତ ହେଲେ ଜଣେ ବ୍ୟକ୍ତି ନିଜକୁ ଖୋଜିବା ପାଇଁ ଦୁର୍ଗମ ପଥରେ ଯିବାକୁ ପଡ଼ିବ୤ ଖାଦ୍ୟ ଗ୍ରହଣ ଓ ପ୍ରଜନନ ପ୍ରାଣୀର ପରିଚୟ ନୁହେଁ୤ ଜଣେ ନିଷ୍ଠାର ସହିତ ଓଡ଼ିଆ ନ ହେଲେ ସେ ଭାରତୀୟ ହୋଇପାରିବ ନାହିଁ୤ ଜଣେ ନିଜକୁ ଖୋଜି ପାଇଲେ ସେ ସଗର୍ବରେ କହିବ ମୁଁ ହିଁ ଓଡ଼ିଶା, ସମଗ୍ର ପରିବ୍ୟାପ୍ତ୤ ଉତ୍ସବରେ ଅଧ୍ୟକ୍ଷତା କରି ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ମଧୁବାବୁଙ୍କ ଜୟନ୍ତୀକୁ ୨୦୦୩ ମସିହାର ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସ୍ବାଭିମାନ ଦିବସ ଭାବେ ପାଳନ କରାଯାଉଛି୤ ଓଡ଼ିଆଙ୍କ ପାଇଁ ମଧୁବାବୁ ସଫଳତାର ମାପକାଠି୤ ଆଜି ନେଇ ଆଣି ଥୋଇ ଜାଣିବାର ନୀତିକୁ ସଫଳତାର ମାପକାଠି ବୋଲି ଧରାଯାଉଛି୤ ବିଶାଳ ପକ୍କା ଘର ଥାଇ ଇନ୍ଦିରା ଆବାସ ନେଇପାରିଲେ, ୮୦ ବର୍ଷର ବୁଢ଼ାବୁଢ଼ୀଙ୍କୁ ପଛରେ ପକାଇ ୪୦ ବର୍ଷର ଯୁବକଯୁବତୀ ବାର୍ଧକ୍ୟ ଭତ୍ତା ନେଇପାରିଲେ, ଏହାକୁ ସଫଳତା କୁହାଯାଉଛି୤ ଅଯୋଗ୍ୟ ଯଦି ଯୋଗ୍ୟ ହୋଇପାରୁଛି ତାହା ହିଁ ସଫଳତା ବୋଲାଉଛି୤ ମଧୁବାବୁ ଜୀବନସାରା ସଂଗ୍ରାମ କରି କାନ୍ଦି କାନ୍ଦି ମଲେ ସତ୤ କିନ୍ତୁ ନିଜ ପ୍ରଚଣ୍ଡ ସ୍ବାଭିମାନକୁ କେବେହେଲେ ପରିତ୍ୟାଗ କରି ନ ଥିଲେ୤ ଜାତିକୁ ତିଆରି କରିବା ପାଇଁ ଭାଷାଟିଏ ଦରକାର ଓ ସ୍ବାଭିମାନଟିଏ ଦରକାର୤ ଆଜି ଜାଲିଆତି କରି ସମସ୍ତେ ସଫଳତା ପାଇବା ପାଇଁ ଧାଇଁଛନ୍ତି୤ ସମସ୍ତେ ଦରିଦ୍ର ହେବା ପାଇଁ ପ୍ରତିଯୋଗିତା କରୁଛନ୍ତି୤ ବିଦ୍ୟାଳୟରେ ଅଣ୍ଡାଯୁକ୍ତ ଖାଦ୍ୟ ଓ ଦଣ୍ଡମୁକ୍ତ ଶିକ୍ଷା ଓଡ଼ିଆ ଭାଷା ପ୍ରତି ବିପଦ ସୃଷ୍ଟି କରିଛି୤ ଏ ଜାତି ବଂଚିବ କି ନାହିଁ ଆଜି ପ୍ରଶ୍ନ ଉଠିଛି୤ ନେଡ଼ିଗୁଡ଼ କହୁଣୀକୁ ବହିଯିବା ପୂର୍ବରୁ ଏ ସଂପର୍କରେ ଚିନ୍ତା କରିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ୤ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ରମାକାନ୍ତ ରଥ ଏବଂ ମହାପାତ୍ର ନୀଳମଣି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ସ୍ବାଭିମାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ୤ ଆମ ଓଡ଼ିଶାର ସାଧାରଣ ସଂପାଦକ ସ୍ବାରାଜ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ, ଆମ ଓଡ଼ିଶାର ପ୍ରକାଶନ ସଂପାଦକ ଅସିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ୤ ଏହି ଅବସରରେ ସତ୍ୟନାରାୟଣ ମହାପାତ୍ରଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଆମ ପାରଳା ଗଜପତି’ ପୁସ୍ତକକୁ ମହାପାତ୍ର ନୀଳମଣି ସାହୁ ଉନ୍ମୋଚନ କରିଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |